‘ବାୟୁ ଶକ୍ତି-୨୦୨୬’: କାଲିଠୁ ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ରାଜସ୍ଥାନ ଗସ୍ତ; ‘ପ୍ରଚଣ୍ଡ’ରେ ଉଡ଼ାଣ ଭରିବେ ସୁପ୍ରିମ କମାଣ୍ଡର
ଜୟପୁର: ଭାରତୀୟ ବାୟୁସେନାର ସବୁଠାରୁ ବଡ଼ ସାମରିକ ଅଭ୍ୟାସ ‘ବାୟୁ ଶକ୍ତି-୨୦୨୬’ ଆସନ୍ତା ଶୁକ୍ରବାର ଦିନ ରାଜସ୍ଥାନର ଜୈସଲମେରସ୍ଥିତ ପୋଖରାନ ଫିଲ୍ଡ ଫାୟାରିଂ ରେଞ୍ଜରେ ଅନୁଷ୍ଠିତ ହେବାକୁ ଯାଉଛି। ପାକିସ୍ତାନ ସୀମା ନିକଟରେ ହେବାକୁ ଥିବା ଏହି ଭବ୍ୟ ସାମରିକ ପ୍ରଦର୍ଶନୀରେ ସଶସ୍ତ୍ର ବାହିନୀର ସର୍ବୋଚ୍ଚ ସେନାପତି ତଥା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ।
‘ପ୍ରଚଣ୍ଡ’ରେ ଉଡ଼ିବେ ରାଷ୍ଟ୍ରପତି
ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ଶୁକ୍ରବାର ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହାଲୁକା ଯୁଦ୍ଧ ହେଲିକପ୍ଟର (LCH)‘ପ୍ରଚଣ୍ଡ’ରେ ଉଡ଼ାଣ ଭରିବେ। ଏହି ସମୟରେ ସେ ସୀମାବର୍ତ୍ତୀ ଅଞ୍ଚଳର ଆକାଶ ମାର୍ଗରୁ ଅଭ୍ୟାସ କ୍ଷେତ୍ରର ସମୀକ୍ଷା କରିବେ। ପ୍ରଥମ ଥର ପାଇଁ ଜଣେ ରାଷ୍ଟ୍ରପତି ଜୈସଲମେର ପରି ସୀମାନ୍ତ ଆକାଶରେ କୌଣସି ଯୁଦ୍ଧ ହେଲିକପ୍ଟରର କୋ-ପାଇଲଟ୍ ଭାବେ ଉଡ଼ାଣ ଭରି ଇତିହାସ ରଚିବେ। ଏହାପରେ ସେ ବାୟୁସେନା ଷ୍ଟେସନରେ ଅଧିକାରୀ ଓ ଯବାନମାନଙ୍କ ସହ ଆଲୋଚନା କରି ସେମାନଙ୍କ ମନୋବଳ ବଢ଼ାଇବେ।
ପୋଖରାନରେ ଗର୍ଜିବ ବାୟୁସେନା
ଶୁକ୍ରବାର ସନ୍ଧ୍ୟାରେ ରାଷ୍ଟ୍ରପତି ପୋଖରାନ ରେଞ୍ଜରେ ପହଞ୍ଚିବେ, ଯେଉଁଠାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କ ଉପସ୍ଥିତିରେ ‘ବାୟୁ ଶକ୍ତି-୨୦୨୬’ ଆରମ୍ଭ ହେବ। ଏହି ସମୟରେ ବାୟୁସେନା ନିଜର ଶତ୍ରୁ ବିନାଶକାରୀ କ୍ଷମତା, ସଠିକ୍ ଲକ୍ଷ୍ୟଭେଦ ଏବଂ ଆକାଶମାର୍ଗରୁ ଅସ୍ତ୍ରଶସ୍ତ୍ର ପ୍ରୟୋଗର ଶକ୍ତି ପ୍ରଦର୍ଶନ କରିବ।
ଏହି ସାମରିକ ଅଭ୍ୟାସରେ ‘ପ୍ରଚଣ୍ଡ’ ସମେତ ରାଫେଲ, ସୁଖୋଇ-୩୦ MKI ଏବଂ ଆପାଚେ ଭଳି ଅତ୍ୟାଧୁନିକ ଯୁଦ୍ଧ ବିମାନ ନିଜର ଶକ୍ତି ପ୍ରଦର୍ଶନ କରିବେ। ରଣନୈତିକ ଦୃଷ୍ଟିକୋଣରୁ ରାଷ୍ଟ୍ରପତିଙ୍କ ଏହି ଗସ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିଚାର କରାଯାଉଛି। ସୁରକ୍ଷା ଦୃଷ୍ଟିରୁ ଜୈସଲମେରର ଚାନ୍ଦନଠାରୁ ପୋଖରାନ ପର୍ଯ୍ୟନ୍ତ ସମଗ୍ର ଅଞ୍ଚଳକୁ ‘ନୋ-ଫ୍ଲାଏ ଜୋନ୍’ (No-Fly Zone) ଭାବେ ଘୋଷଣା କରାଯାଇଛି।
#WATCH | Indian Air Force shares a video on Exercise Vayu Shakti- 2026, a firepower demonstration by the Indian Air Force scheduled to be held at Pokhran, near Jaisalmer, on 27th February pic.twitter.com/7CIAqkp36P
— ANI (@ANI) February 11, 2026
ବାୟୁସେନା ସହ ରାଷ୍ଟ୍ରପତିଙ୍କ ନିବିଡ଼ ସମ୍ପର୍କ
ଭାରତୀୟ ବାୟୁସେନାର ବିମାନ ସହିତ ରାଷ୍ଟ୍ରପତି ମୁର୍ମୁଙ୍କର ଏକ ସ୍ୱତନ୍ତ୍ର ସମ୍ପର୍କ ରହିଛି। ସେ କେବଳ କାଗଜପତ୍ରରେ ସର୍ବୋଚ୍ଚ ସେନାପତି ନୁହନ୍ତି, ବରଂ ନିଜେ ଯୁଦ୍ଧ ବିମାନରେ ଉଡ଼ାଣ ଭରି ସୈନ୍ୟମାନଙ୍କୁ ଉତ୍ସାହିତ କରିବାରେ ଜଣେ ଅଗ୍ରଣୀ ବ୍ୟକ୍ତିତ୍ୱ।
- ୨୦୨୫ ଅକ୍ଟୋବର ୨୯ରେ ସେ ଅମ୍ବାଲା ଏୟାରଫୋର୍ସ ଷ୍ଟେସନର ‘ଗୋଲଡେନ୍ ଆରୋ’ ସ୍କ୍ୱାଡ୍ରନର ରାଫେଲ ବିମାନରେ ଉଡ଼ାଣ ଭରି ଇତିହାସ ସୃଷ୍ଟି କରିଥିଲେ।
- ଦେଶର ପ୍ରଥମ ରାଷ୍ଟ୍ରପତି ଭାବେ ଦୁଇଟି ଭିନ୍ନ ଧରଣର ଯୁଦ୍ଧ ବିମାନ -ସୁଖୋଇ ଓ ରାଫେଲରେ ଉଡ଼ାଣ ଭରିଛନ୍ତି।
- ଏହାପୂର୍ବରୁ ୨୦୨୩ ଏପ୍ରିଲ ୮ରେ ଆସାମର ତେଜପୁର ବେସରୁ ସେ ସୁଖୋଇ-୩୦ MKIରେ ପ୍ରାୟ ୩୦ ମିନିଟ୍ ଧରି ଉଡ଼ାଣ ଭରିଥିଲେ।
ପ୍ରତିଭା ପାଟିଲଙ୍କ ପରେ ସେ ଦେଶର ଦ୍ୱିତୀୟ ମହିଳା ରାଷ୍ଟ୍ରପତି ଭାବେ ସୁଖୋଇ ବିମାନରେ ଉଡ଼ାଣ ଭରିବାର ଗୌରବ ଅର୍ଜନ କରିଛନ୍ତି। ଆସନ୍ତାକାଲିର ‘ପ୍ରଚଣ୍ଡ’ ଉଡ଼ାଣ ତାଙ୍କ ସାମରିକ ଅଭିଜ୍ଞତାରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ିବାକୁ ଯାଉଛି।



Post Comment