Loading Now

ପ୍ରଧାନମନ୍ତ୍ରୀ ମୋଦିଙ୍କ ଇସ୍ରାଏଲ୍ ଗସ୍ତ: ଭାରତ-ଇସ୍ରାଏଲ୍ ପ୍ରତିରକ୍ଷା ସମ୍ପର୍କରେ ଏକ ନୂଆ ଅଧ୍ୟାୟ

PM Modi's Israel visit is a signal amidst US-Iran tensions

ନୂଆଦିଲ୍ଲୀ/ତେଲ୍ ଆଭିଭ୍‌: ଆମେରିକା ଏବଂ ଇରାନ ମଧ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇସ୍ରାଏଲ୍ ଗସ୍ତ ବିଶ୍ୱ ରାଜନୀତିରେ ଏକ ବଡ଼ ସଙ୍କେତ ବୋଲି କୁହାଯାଉଛି। ଆଜି ତେଲ୍ ଆଭିଭ୍‌ର ବେନ୍ ଗୁରିଅନ୍ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ଏହି ଗସ୍ତ କେବଳ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟରେ ସୀମିତ ନୁହେଁ, ବରଂ ଭାରତର ସୁରକ୍ଷା କ୍ଷେତ୍ରରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ନେବାକୁ ଯାଉଛି।

ସୁରକ୍ଷା MoU ଏବଂ ଅସ୍ତ୍ରଶସ୍ତ୍ରର ମିଳିତ ବିକାଶ

ଏହି ଗସ୍ତ ସମୟରେ ଉଭୟ ଦେଶ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ବୁଝାମଣା ପତ୍ର ବା MoU ସ୍ୱାକ୍ଷରିତ ହେବାକୁ ଯାଉଛି। ଏହା ଅଧୀନରେ ଭାରତ ଏବଂ ଇସ୍ରାଏଲର ପ୍ରତିରକ୍ଷା ଶିଳ୍ପଗୁଡ଼ିକ ମିଳିତ ଭାବେ ଭାରତରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ନିର୍ମାଣ କରିବେ। ଏଥିରେ ସବୁଠାରୁ ବଡ଼ କଥା ହେଉଛି ଟେକ୍ନୋଲୋଜି ହସ୍ତାନ୍ତର (Technology Sharing) କ୍ଷେତ୍ରରେ ସମ୍ପୂର୍ଣ୍ଣ ଗୋପନୀୟତା ରକ୍ଷା କରାଯିବ। ଏହି ସହଭାଗିତା ଭାରତକୁ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର କରିବା ସହ ଦୁଇ ଦେଶର ସମ୍ପର୍କକୁ ଏକ ନୂଆ ଉଚ୍ଚତାକୁ ନେଇଯିବ।

କାର୍ଗିଲ୍‌ରୁ ଅପରେସନ୍ ସିନ୍ଦୂର: ଇସ୍ରାଏଲୀ ଅସ୍ତ୍ରର କମାଲ

ଭାରତର ସୁରକ୍ଷା କ୍ଷେତ୍ରରେ ଇସ୍ରାଏଲର ଭୂମିକା ଆଜିର ନୁହେଁ, ବରଂ ୨୬ ବର୍ଷ ପୁରୁଣା।

କାର୍ଗିଲ ଯୁଦ୍ଧ (୧୯୯୯): ଜୁନ୍ ୧୭, ୧୯୯୯ରେ ଭାରତୀୟ ବାୟୁସେନାର ମିରାଜ୍-୨୦୦୦ ବିମାନ ଇସ୍ରାଏଲୀ ‘ଲାଇଟନିଂ ପଡ୍ସ’ (Litening Pods) ବ୍ୟବହାର କରି ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଧୂଳିସାତ୍ କରିଥିଲା। ଏହି ଲେଜର-ଗାଇଡେଡ୍ ବୋମା ବ୍ୟବହାର କରି ଶତ୍ରୁର କ୍ୟାମ୍ପ ନଷ୍ଟ କରାଯାଇଥିଲା, ଯାହା ସେତେବେଳର ପାକିସ୍ତାନୀ ସେନା ମୁଖ୍ୟ ଜେନେରାଲ ପରଭେଜ୍ ମୁଶାରଫଙ୍କ ପାଇଁ ଏକ ଶକ୍ତ ଧକ୍କା ଥିଲା।

ସର୍ଜିକାଲ୍ ଷ୍ଟ୍ରାଇକ୍ ଓ ଅପରେସନ୍ ବାଲାକୋଟ: ଉରି ସର୍ଜିକାଲ୍ ଷ୍ଟ୍ରାଇକ୍ ଏବଂ ବାଲାକୋଟରେ ‘ଅପରେସନ୍ ବନ୍ଦର’ ସମୟରେ ମଧ୍ୟ ଇସ୍ରାଏଲୀ ସଠିକ୍ ଗାଇଡେଡ୍ କ୍ଷେପଣାସ୍ତ୍ର ଶତ୍ରୁ ଶିବିରକୁ ଧ୍ୱଂସ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା।

ଅପରେସନ୍ ସିନ୍ଦୂର (୨୦୨୫): ଗତ ବର୍ଷ ମଇ ୭ ତାରିଖରେ ହୋଇଥିବା ‘ଅପରେସନ୍ ସିନ୍ଦୂର’ରେ ଭାରତୀୟ ସେନା ପାକିସ୍ତାନୀ ଆତଙ୍କବାଦୀ କ୍ୟାମ୍ପଗୁଡ଼ିକୁ ସମ୍ପୂର୍ଣ୍ଣ ନଷ୍ଟ କରିବା ପାଇଁ ଇସ୍ରାଏଲର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରିଥିଲା।

ଡ୍ରୋନ୍ ସର୍ଭେଲାନ୍ସ ଓ ରଣନୈତିକ ବନ୍ଧୁତା

କାର୍ଗିଲ ଯୁଦ୍ଧ ପରଠାରୁ ଭାରତୀୟ ସେନା ଶତ୍ରୁ ପକ୍ଷ ଉପରେ ନଜର ରଖିବା ପାଇଁ ଇସ୍ରାଏଲୀ ଡ୍ରୋନ ଯଥା- ‘ସର୍ଚ୍ଚର ମାର୍କ ୧୧’ (Searcher Mark 11) ଠାରୁ ଆରମ୍ଭ କରି ‘ହେରୋନ୍-ଟିପି’ (Heron-TP) ପର୍ଯ୍ୟନ୍ତ ସମସ୍ତ ବଡ଼ ଟେକ୍ନୋଲୋଜି ବ୍ୟବହାର କରିଆସୁଛି।

ପ୍ରଧାନମନ୍ତ୍ରୀ ମୋଦି ଓ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ମଧ୍ୟରେ ଥିବା ବ୍ୟକ୍ତିଗତ ବନ୍ଧୁତା ଏହି ସମ୍ପର୍କକୁ ଅଧିକ ସୁଦୃଢ଼ କରିଛି। କେବଳ ପ୍ରତିରକ୍ଷା ନୁହେଁ, ବରଂ ଆର୍ଥିକ କ୍ଷେତ୍ରରେ ମଧ୍ୟ ବିଶ୍ୱସ୍ତରରେ ଦୁଇ ଦେଶ ମିଳିତ ଭାବେ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖିଛନ୍ତି।

ସୁରକ୍ଷା, ବାଣିଜ୍ୟ ଏବଂ ପ୍ରଯୁକ୍ତିବିଦ୍ୟା – ଏହି ତିନୋଟି ସ୍ତମ୍ଭ ଉପରେ ଆଧାରିତ ମୋଦିଙ୍କ ଏହି ଐତିହାସିକ ଗସ୍ତ ଆଗାମୀ ଦିନରେ ଭାରତର ରଣନୈତିକ ସ୍ଥିତିକୁ ବିଶ୍ୱ ଦରବାରରେ ଆହୁରି ମଜଭୁତ କରିବ।

Previous post

ଜୟହିନ୍ଦ୍ ଟାଇସନ୍! ଗୁଳି ମାଡ଼ ସତ୍ତ୍ୱେ ଆତଙ୍କୀଙ୍କୁ ମୃତ୍ୟୁମୁଖକୁ ଟାଣିନେଲା ସେନାର ବୀର କୁକୁର; ୩ ଜୈଶ୍ ଆତଙ୍କୀ ସଫା

Next post

ମୋ ଯୋଗୁଁ ବଞ୍ଚିଗଲେ ୩.୫ କୋଟି ଜୀବନ’: ଭାରତ-ପାକିସ୍ତାନ ଯୁଦ୍ଧକୁ ନେଇ ଟ୍ରମ୍ପଙ୍କ ବଡ଼ ଦାବି

Post Comment

ବଡ଼ ଖବର