ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାନଦୀ ଟ୍ରିବ୍ୟୁନାଲ: ୪ ଦିନିଆ ଗସ୍ତରେ ହେବ ସ୍ପଟ୍ ଭିଜିଟ୍, ମାର୍ଚ୍ଚ ୧୪ରେ ପରବର୍ତ୍ତୀ ଶୁଣାଣି
ଭୁବନେଶ୍ୱର: ଓଡ଼ିଶାର ଜୀବନରେଖା କୁହାଯାଉଥିବା ମହାନଦୀର ଜଳ ବିବାଦ ସମାଧାନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଆସନ୍ତା ଫେବୃଆରୀ ୨୬ ତାରିଖରେ ମହାନଦୀ ଟ୍ରିବ୍ୟୁନାଲ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଟ୍ରିବ୍ୟୁନାଲଙ୍କ ଏହି ୪ ଦିନିଆ ଗସ୍ତ ସମୟରେ ବିଭିନ୍ନ ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ ସହ ଜଳ ବିବାଦର ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ସମୀକ୍ଷା କରାଯିବ।
୧୦ ଜଣିଆ ଟିମ୍ କରିବେ ସ୍ଥିତି ଅନୁଧ୍ୟାନ
ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଏବଂ ଅନ୍ୟାନ୍ୟ ସଦସ୍ୟଙ୍କୁ ମିଶାଇ ମୋଟ ୧୦ ଜଣିଆ ପ୍ରତିନିଧି ଦଳ ଓଡ଼ିଶା ଆସୁଛନ୍ତି। ଏହି ଟିମ୍ ମୁଖ୍ୟତଃ ପଶ୍ଚିମ ଓଡ଼ିଶାର ସମ୍ବଲପୁର ଏବଂ ଝାରସୁଗୁଡ଼ା ଜିଲ୍ଲା ଗସ୍ତ କରିବେ। ସେଠାରେ ମହାନଦୀର ପ୍ରବାହ ଏବଂ ଛତିଶଗଡ଼ ଦ୍ୱାରା ନିର୍ମିତ ବ୍ୟାରେଜ୍ର ପ୍ରଭାବ କିଭଳି ରହୁଛି, ସେ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯିବ। ଗସ୍ତ ଶେଷରେ ଟିମ୍ ପୁରୀ ଯାଇ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।
୨୦୧୬ରୁ ଜାରି ରହିଛି ବିବାଦ
୨୦୧୬ ମସିହାରୁ ମହାନଦୀର ଜଳବଣ୍ଟନକୁ ନେଇ ଓଡ଼ିଶା ଏବଂ ପଡ଼ୋଶୀ ଛତିଶଗଡ଼ ମଧ୍ୟରେ ଟଣାଓଟରା ଜାରି ରହିଛି। ଛତିଶଗଡ଼ ମହାନଦୀର ଉପର ମୁଣ୍ଡରେ ଏକାଧିକ ବ୍ୟାରେଜ୍ ନିର୍ମାଣ କରିଥିବାରୁ ଅଣମୌସୁମୀ ସମୟରେ ଓଡ଼ିଶାକୁ ପର୍ଯ୍ୟାପ୍ତ ଜଳ ଆସୁନାହିଁ ବୋଲି ଓଡ଼ିଶା ଦୀର୍ଘ ଦିନରୁ ଅଭିଯୋଗ କରିଆସୁଛି। ଏହି ସମସ୍ୟାର ସମାଧାନ ପାଇଁ ଟ୍ରିବ୍ୟୁନାଲଙ୍କ ଏହି ସ୍ପଟ୍ ଭିଜିଟ୍ ବେଶ୍ ଗୁରୁତ୍ୱ ରଖୁଛି।
ମାର୍ଚ୍ଚ ୧୪ରେ ଶୁଣାଣି, ବଢ଼ିପାରେ ଟ୍ରିବ୍ୟୁନାଲ ଅବଧି
ଟ୍ରିବ୍ୟୁନାଲ ଏହି ସ୍ପଟ୍ ଭିଜିଟ୍ ଶେଷ କରିବା ପରେ ମାର୍ଚ୍ଚ ୧୪ ତାରିଖରେ ଜଳ ବିବାଦର ପରବର୍ତ୍ତୀ ଶୁଣାଣି ହେବ। ଅନ୍ୟପଟେ, ଟ୍ରିବ୍ୟୁନାଲଙ୍କ ବର୍ତ୍ତମାନର କାର୍ଯ୍ୟକାଳ ଏପ୍ରିଲ ୧୩ ତାରିଖରେ ଶେଷ ହେବାକୁ ଯାଉଛି। ତେବେ ମାମଲାର ଜଟିଳତା ଏବଂ ସମାଧାନ ପ୍ରକ୍ରିୟାକୁ ଦୃଷ୍ଟିରେ ରଖି ଉଭୟ ଓଡ଼ିଶା ଏବଂ ଛତିଶଗଡ଼ ସରକାର ଟ୍ରିବ୍ୟୁନାଲଙ୍କ ଅବଧି ବୃଦ୍ଧି ପାଇଁ ଅନୁରୋଧ କରିଛନ୍ତି।
୨୦୨୭ ମାର୍ଚ୍ଚ ୨୭ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟକାଳ ବୃଦ୍ଧି କରିବାକୁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି।
ଓଡ଼ିଶାବାସୀଙ୍କ ଭାବନା ଏବଂ ଚାଷୀଙ୍କ ସ୍ୱାର୍ଥ ସହ ଜଡ଼ିତ ଏହି ମହାନଦୀ ବିବାଦର ଚୂଡ଼ାନ୍ତ ନିଷ୍ପତ୍ତି କେବେ ଆସୁଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।


Post Comment