Loading Now

ବିଧାନସଭା ନିର୍ବାଚନ ୨୦୨୬: ପୂର୍ବ ଭାରତରେ ବିଜେପିର ଦବଦବା, ଦକ୍ଷିଣରେ ସୁପରଷ୍ଟାରଙ୍କ ଏଣ୍ଟ୍ରି ଓ କେରଳରେ ବାମଦଳର ପତନ

Assembly elections 2026: saffron surge in the east

ଭୁବନେଶ୍ୱର/ନୂଆଦିଲ୍ଲୀ: ୨୦୨୬ ବିଧାନସଭା ନିର୍ବାଚନର ଫଳାଫଳ ଭାରତୀୟ ରାଜନୀତିରେ ଏକ ବଡ଼ ପରିବର୍ତ୍ତନର ସଙ୍କେତ ଦେଇଛି। ପଶ୍ଚିମବଙ୍ଗରୁ ଆରମ୍ଭ କରି କେରଳ ଏବଂ ତାମିଲନାଡୁ ପର୍ଯ୍ୟନ୍ତ, ପ୍ରତିଟି ରାଜ୍ୟର ଭୋଟର ଏଥର ଚମକାଇ ଦେବା ଭଳି ଜନାଦେଶ ଦେଇଛନ୍ତି। ପଶ୍ଚିମବଙ୍ଗରେ ବିଜେପିର ବିପୁଳ ବିଜୟ ହୋଇଥିବା ବେଳେ ତାମିଲନାଡୁରେ ସୁପରଷ୍ଟାର ବିଜୟଙ୍କ ନୂଆ ଦଳ ‘ଟିଭିକେ’ ସମସ୍ତ ଗଣିତ ବିଗାଡ଼ି ଦେଇଛି।

ପଶ୍ଚିମବଙ୍ଗରେ ‘କେସରୀ’ ଝଡ଼

ମମତାଙ୍କ ଗଡ଼ରେ ବିଜେପିର ବିଜୟ
ପଶ୍ଚିମବଙ୍ଗରେ ତିନି ଦଶନ୍ଧି ପରେ ପୁଣି ଏକ ବଡ଼ ‘ପରିବର୍ତ୍ତନ’ ଦେଖିବାକୁ ମିଳିଛି। ୨୯୪ ଆସନ ବିଶିଷ୍ଟ ବିଧାନସଭାରେ ବିଜେପି ଏକାକୀ ୨୦୬ଟି ଆସନ ହାସଲ କରି ସମ୍ପୂର୍ଣ୍ଣ ବହୁମତ ପାଇଛି। ଦୀର୍ଘ ୧୫ ବର୍ଷ ଧରି ଶାସନ ଗାଦିରେ ଥିବା ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (TMC) ମାତ୍ର ୮୧ଟି ଆସନରେ ସୀମିତ ରହିଯାଇଛି। ସବୁଠାରୁ ବଡ଼ କଥା ହେଉଛି, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜର ପାରମ୍ପରିକ ଆସନ ଭବାନୀପୁରରୁ ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କଠାରୁ ପରାଜିତ ହୋଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବିଜୟକୁ “ସୁଶାସନ ଓ ବିକାଶର ବିଜୟ” ବୋଲି କହିବା ସହ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କୁ ସ୍ମରଣ କରିଛନ୍ତି। ଅନ୍ୟପଟେ ମମତା ବାନାର୍ଜୀ ଏହି ଫଳାଫଳକୁ ଗ୍ରହଣ କରିନାହାନ୍ତି। ନିର୍ବାଚନ କମିଶନଙ୍କ ପକ୍ଷପାତିତା ଏବଂ ଭୋଟ ଗଣତିରେ ଜାଲିଆତି ହୋଇଥିବା ସେ ଅଭିଯୋଗ କରିଛନ୍ତି।

ଆସାମରେ ‘ହିମନ୍ତ’ ମ୍ୟାଜିକ୍

ଲଗାତାର ତୃତୀୟ ଥର ବିଜେପି ଶାସନ। ଉତ୍ତର-ପୂର୍ବ ଭାରତର ପ୍ରବେଶ ଦ୍ୱାର ଆସାମରେ ବିଜେପି ନିଜର ପତିଆରା ବଜାୟ ରଖିଛି। ୧୨୬ଟି ଆସନରୁ ବିଜେପି ନେତୃତ୍ୱାଧୀନ ମେଣ୍ଟ ୧୦୨ଟି ଆସନ ଜିତିଛି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଜାଲୁକବାରୀ ଆସନରୁ ୮୯ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ଜିତି ରେକର୍ଡ କରିଛନ୍ତି। କଂଗ୍ରେସର ପ୍ରଦେଶ ସଭାପତି ଗୌରବ ଗୋଗୋଇ ଜୋରହାଟ ଆସନରୁ ପରାଜିତ ହେବା ଦଳ ପାଇଁ ଏକ ବଡ଼ ଶକ୍ତ ଧକ୍କା ସାବ୍ୟସ୍ତ ହୋଇଛି।

ତାମିଲନାଡୁରେ ଥାଲାପତି ବିଜୟଙ୍କ ‘ରାଜନୈତିକ ଭୂକମ୍ପ’

ଦକ୍ଷିଣ ଭାରତର ରାଜନୀତିରେ ଏଥର ସବୁଠାରୁ ବଡ଼ ଚମକ ସୃଷ୍ଟି କରିଛନ୍ତି ଅଭିନେତା ବିଜୟ। ତାଙ୍କ ଦଳ ‘ତାମିଲଗା ଭେଟ୍ରି କାଜାଗାମ’ (TVK) ପ୍ରଥମ ନିର୍ବାଚନରେ ହିଁ ୧୦୮ଟି ଆସନ ଜିତି ସର୍ବବୃହତ ଦଳ ଭାବେ ଉଭା ହୋଇଛି। ଯଦିଓ ବହୁମତ ପାଇଁ ଆବଶ୍ୟକ ୧୧୮ ଆସନଠାରୁ ଏହା କମ୍, ତଥାପି ଡିଏମକେ (DMK) ଏବଂ ଏଆଇଏଡିଏମକେ (AIADMK) ଭଳି ପୁରୁଣା ଦଳକୁ ବିଜୟ ପଛରେ ପକାଇ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ନିଜର କୋଲାଥୁର ଆସନରୁ ଟିଭିକେ ପ୍ରାର୍ଥୀ ଭି.ଏସ ବାବୁଙ୍କଠାରୁ ହାରିଯାଇଛନ୍ତି। ଷ୍ଟାଲିନଙ୍କ ୩୫ ବର୍ଷର ରାଜନୈତିକ କ୍ୟାରିୟରରେ ଏହା ପ୍ରଥମ ପରାଜୟ।

କେରଳରେ ବାମଦଳର ପତନ, ୟୁଡିଏଫ୍ ହାତକୁ ଶାସନ

କେରଳରେ ଏକ ଐତିହାସିକ ପରିବର୍ତ୍ତନ ଘଟିଛି। ଦୀର୍ଘ ୧୦ ବର୍ଷର ବାମପନ୍ଥୀ ଶାସନର ଅନ୍ତ ଘଟାଇ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍ (UDF) ୧୦୨ଟି ଆସନ ସହ କ୍ଷମତାକୁ ଫେରିଛି। ପିନାରାୟୀ ବିଜୟନଙ୍କ ନେତୃତ୍ୱାଧୀନ ଏଲଡିଏଫ୍ ମାତ୍ର ୩୫ଟି ଆସନରେ ସୀମିତ ରହିଛି। ଭାରତରେ ବାମଦଳର ଶେଷ ଗଡ଼ ମଧ୍ୟ ଏବେ ସେମାନଙ୍କ ହାତରୁ ଚାଲିଯାଇଛି।

ପୁଡୁଚେରୀରେ ଏନଡିଏ ବଜାୟ ରଖିଲା କ୍ଷମତା

ପୁଡୁଚେରୀ କେନ୍ଦ୍ରଶାସିତ ଅଞ୍ଚଳରେ ମୁଖ୍ୟମନ୍ତ୍ରୀ ଏନ. ରଙ୍ଗାସାମୀଙ୍କ ନେତୃତ୍ୱାଧୀନ ଏନଡିଏ ମେଣ୍ଟ ୧୮ଟି ଆସନ ଜିତି ପୁଣି ଶାସନ ଗାଦିକୁ ଫେରିଛି। ଏଠାରେ ବିଜେପି ଓ ଏଆଇଏନଆରସି ମିଳିତ ଭାବେ ସରକାର ଗଠନ କରିବାକୁ ଯାଉଛନ୍ତି।

୨୦୨୬ ବିଧାନସଭା ନିର୍ବାଚନ ଭାରତର ରାଜନୈତିକ ମାନଚିତ୍ରକୁ ବଦଳାଇ ଦେଇଛି। ବିଜେପିର ପୂର୍ବ ଭାରତରେ ବିସ୍ତାର, ଦକ୍ଷିଣରେ ଟିଭିକେର ଉଦୟ ଏବଂ କେରଳରୁ ବାମପନ୍ଥୀଙ୍କ ବିଦାୟ ଆଗାମୀ ଜାତୀୟ ରାଜନୀତି ପାଇଁ ଏକ ନୂଆ ଦିଗ ନିର୍ଣ୍ଣୟ କରିବ।

Post Comment

ବଡ଼ ଖବର