ଐତିହାସିକ ନିଷ୍ପତ୍ତି: ଆସନ୍ତାକାଲି ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ସ୍ଵାକ୍ଷରିତ ହେବ ମୁକ୍ତ ବାଣିଜ୍ୟ ଚୁକ୍ତି
ନୂଆଦିଲ୍ଲୀ: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ବାଣିଜ୍ୟିକ ସମ୍ପର୍କର ଏକ ନୂତନ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି। ଆସନ୍ତାକାଲି ନ୍ୟୁଜିଲ୍ୟାଣ୍ଡ ଭାରତ ସହିତ ଏକ ବହୁ ପ୍ରତିକ୍ଷିତ ମୁକ୍ତ ବାଣିଜ୍ୟ ଚୁକ୍ତି (Free Trade Agreement – FTA) ସ୍ଵାକ୍ଷର କରିବ। ନ୍ୟୁଜିଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନ୍ ଏହାକୁ ଏକ ‘ପିଢ଼ିରେ ଥରେ ଆସୁଥିବା ସୁଯୋଗ’ ବା “once-in-a-generation deal” ଭାବେ ଅଭିହିତ କରିଛନ୍ତି।
ବିଶ୍ଵର ସବୁଠାରୁ ବଡ଼ ବଜାର ଉପରେ ନଜର
ରବିବାର ଦିନ ସୋସିଆଲ ମିଡିଆରେ ଏକ ଭିଡିଓ ବାର୍ତ୍ତା ଜରିଆରେ ଲକ୍ସନ୍ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ସୋମବାର ରାତିରେ ଏହି ଚୁକ୍ତି ସ୍ଵାକ୍ଷରିତ ହେବ। ଏହି ଚୁକ୍ତି ଦ୍ଵାରା ନ୍ୟୁଜିଲ୍ୟାଣ୍ଡର ରପ୍ତାନିକାରୀଙ୍କ ପାଇଁ ଭାରତ ଭଳି ବିଶ୍ଵର ଅନ୍ୟତମ ବୃହତ୍ତମ ବଜାରର ଦ୍ଵାର ଉନ୍ମୁକ୍ତ ହେବ। ଭାରତର ୧୪୦ କୋଟି ଜନସଂଖ୍ୟା ଏବଂ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥା ନ୍ୟୁଜିଲ୍ୟାଣ୍ଡର ବ୍ୟବସାୟୀଙ୍କ ପାଇଁ ଅଦ୍ଵିତୀୟ ସୁଯୋଗ ସୃଷ୍ଟି କରିବ।
ପ୍ରତିଯୋଗିତାରେ ଆଗରେ ରହିବ ନ୍ୟୁଜିଲ୍ୟାଣ୍ଡ
ପ୍ରଧାନମନ୍ତ୍ରୀ ଲକ୍ସନ୍ କହିଛନ୍ତି, “ଏହି ଚୁକ୍ତି ଫଳରେ ଆମର ରପ୍ତାନିକାରୀମାନେ ଅନ୍ୟ ପ୍ରତିଯୋଗୀ ଦେଶମାନଙ୍କ ତୁଳନାରେ ସମାନ କିମ୍ବା ତା’ଠାରୁ ଅଧିକ ସୁବିଧା ପାଇବେ। ବିଶେଷ କରି ଭାରତରେ ଦ୍ରୁତ ଗତିରେ ବଢ଼ୁଥିବା ମଧ୍ୟବିତ୍ତ ଶ୍ରେଣୀର ଉପଭୋକ୍ତାମାନଙ୍କ ପାଖରେ ପହଞ୍ଚିବା ଏବେ ସହଜ ହେବ।”
ଚୁକ୍ତିର ମୁଖ୍ୟ ଫାଇଦା:
ନିଯୁକ୍ତି ସୁଯୋଗ: ନ୍ୟୁଜିଲ୍ୟାଣ୍ଡରେ ପ୍ରତି ଚାରୋଟି ଚାକିରି ମଧ୍ୟରୁ ଗୋଟିଏ ବାଣିଜ୍ୟ ସହିତ ଜଡ଼ିତ। ଏହି FTA ଫଳରେ ନ୍ୟୁଜିଲ୍ୟାଣ୍ଡର ଚାଷଜମି ଏବଂ ବଗିଚାଗୁଡ଼ିକରେ ଅଧିକ ନିଯୁକ୍ତି ସୃଷ୍ଟି ହେବ।
ଅର୍ଥନୈତିକ ଅଭିବୃଦ୍ଧି: ସ୍ଥାନୀୟ ସମୁଦାୟ ପାଖକୁ ଅଧିକ ଅର୍ଥ ଆସିବ ଏବଂ ପରିବାରଗୁଡ଼ିକର ଆର୍ଥିକ ଉନ୍ନତି ହେବ।
ସର୍ବସାଧାରଣ ସେବାରେ ବିନିଯୋଗ: ଅର୍ଥନୀତି ସୁଦୃଢ଼ ହେଲେ ସରକାର ରାସ୍ତାଘାଟ, ସ୍କୁଲ, ଡାକ୍ତରଖାନା ଏବଂ ପୋଲିସ ଭଳି ଅତ୍ୟାବଶ୍ୟକ ସେବାରେ ଅଧିକ ପୁଞ୍ଜି ବିନିଯୋଗ କରିପାରିବେ।
କେଉଁ ସବୁ ସାମଗ୍ରୀ ଉପରେ ରହିବ ପ୍ରାଧାନ୍ୟ?
ଏହି ଚୁକ୍ତିକୁ ଏକ ‘ବଡ଼ ବିଜୟ’ ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ କିଛି ପ୍ରମୁଖ ସାମଗ୍ରୀର ନାମ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ, ‘ବେ ଅଫ୍ ପ୍ଲେଣ୍ଟି’ର କିୱି ଫଳ, ‘ସେଣ୍ଟ୍ରାଲ୍ ଓଟାଗୋ’ର ୱାଇନ୍, ସାମୁଦ୍ରିକ ଖାଦ୍ୟ (Seafood), ମାଂସ ଏବଂ ମହୁ ପରି ଜିନିଷ ଭାରତୀୟ ବଜାରରେ ସହଜରେ ଉପଲବ୍ଧ ହୋଇପାରିବ।
ପ୍ରଧାନମନ୍ତ୍ରୀ ଲକ୍ସନ୍ ଶେଷରେ କହିଛନ୍ତି ଯେ, ରପ୍ତାନି ହିଁ ସେମାନଙ୍କ ଅର୍ଥନୀତିର ମେରୁଦଣ୍ଡ। ବିଶ୍ଵ ସ୍ତରରେ ପ୍ରତିଯୋଗିତା କରିବା ଦ୍ଵାରା ଶ୍ରମିକମାନଙ୍କ ଦରମା ବୃଦ୍ଧି ହେବ ଏବଂ ସାଧାରଣ ନାଗରିକଙ୍କ ପକେଟକୁ ଅଧିକ ଟଙ୍କା ଆସିବ।



Post Comment