ଜୟହିନ୍ଦ୍ ଟାଇସନ୍! ଗୁଳି ମାଡ଼ ସତ୍ତ୍ୱେ ଆତଙ୍କୀଙ୍କୁ ମୃତ୍ୟୁମୁଖକୁ ଟାଣିନେଲା ସେନାର ବୀର କୁକୁର; ୩ ଜୈଶ୍ ଆତଙ୍କୀ ସଫା
କିସ୍ତୱାର: ଜମ୍ମୁ-କାଶ୍ମୀରର ଦୁର୍ଗମ ପାହାଡ଼ିଆ ଅଞ୍ଚଳରେ ଭାରତୀୟ ସେନାର ଏକ ଅପରେସନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କିନ୍ତୁ ଏହି ସଫଳତାର ସବୁଠାରୁ ବଡ଼ ନାୟକ କୌଣସି ମଣିଷ ନୁହଁନ୍ତି, ବରଂ ଭାରତୀୟ ସେନାର ଜଣେ ଚତୁଃପଦ ସୈନିକ— ‘ଟାଇସନ୍’। ନିଜ ଜୀବନକୁ ବାଜି ଲଗାଇ ଏହି ବୀର ଜର୍ମାନ ସେଫାର୍ଡ କୁକୁର ୩ ଜଣ ଜୈଶ-ଏ-ମହମ୍ମଦ ଆତଙ୍କବାଦୀଙ୍କୁ ନିପାତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛି।
ଗୁଳି ମାଡ଼ ପରେ ମଧ୍ୟ ହାର ମାନିଲାନି ଟାଇସନ୍
କିସ୍ତୱାର ଜିଲ୍ଲା ଚାତ୍ରୁ ଅଞ୍ଚଳରେ ଆତଙ୍କବାଦୀମାନେ ଏକ ଗୁପ୍ତ ସ୍ଥାନରେ ଲୁଚି ରହିଥିବା ନେଇ ସେନାକୁ ସୂଚନା ମିଳିଥିଲା। ଭାରତୀୟ ସେନାର ‘୨ ପାରା (ସ୍ପେଶାଲ ଫୋର୍ସ)’ ର ଏଲିଟ୍ ସଦସ୍ୟ ଟାଇସନ୍କୁ ପ୍ରଥମେ ସେହି ଦୁର୍ଗମ ସ୍ଥାନକୁ ପଠାଯାଇଥିଲା। ଟାଇସନ୍ ଧୀରେ ଧୀରେ ସେହି ଗୁପ୍ତ ଆଡ୍ଡା ଭିତରକୁ ପଶିବା ମାତ୍ରେ ଆତଙ୍କବାଦୀମାନେ ଭୟଭୀତ ହୋଇ ଗୁଳି ଚଳାଇଥିଲେ।
ଗୁଳି ଟାଇସନ୍ର ଗୋଡ଼ରେ ବାଜିଥିଲା, ସେ ରକ୍ତାକ୍ତ ହୋଇପଡ଼ିଥିଲା। କିନ୍ତୁ ଏହି ବୀର ସୈନିକ ପଛକୁ ହଟିନଥିଲା। ଗୁଳିମାଡ଼ ସତ୍ତ୍ୱେ ସେ ଆଗକୁ ବଢ଼ିଥିଲା, ଯାହା ଫଳରେ ଭାରତୀୟ ସେନା ଆତଙ୍କବାଦୀଙ୍କ ସଠିକ୍ ସ୍ଥିତି ଜାଣିବାକୁ ସକ୍ଷମ ହୋଇଥିଲେ। ଏହାପରେ ସେନା, CRPF ଏବଂ ଜମ୍ମୁ-କାଶ୍ମୀର ପୋଲିସ ମିଳିତ ଭାବେ ଆକ୍ରମଣ କରି ସେହି ସ୍ଥାନରେ ହିଁ ୩ ଜଣ ଆତଙ୍କବାଦୀଙ୍କୁ ନିପାତ କରିଥିଲେ।
ମୃତ୍ୟୁମୁଖରୁ ୨୦ ଥର ବଞ୍ଚିଥିବା ‘ସୈଫୁଲ୍ଲା’ ନିହତ
ଏହି ଅପରେସନରେ ନିହତ ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରେ ଜୈଶ୍ର ଦୁର୍ଦ୍ଦାନ୍ତ ଆତଙ୍କବାଦୀ ସୈଫୁଲ୍ଲା ସାମିଲ ଅଛି। ଗତ ୨ ବର୍ଷ ଧରି ସେ ସେନା ସହ ଲୁଚକାଳି ଖେଳୁଥିଲା ଏବଂ ପ୍ରାୟ ୨୦ ଥର ସେନା ହାତରୁ ଖସିଯିବାରେ ସଫଳ ହୋଇଥିଲା। କିନ୍ତୁ ଟାଇସନ୍ର ସତର୍କତା ଯୋଗୁଁ ଆଜି ତାର ସବୁ ଚାଲାକି ଧରାପଡ଼ିଯାଇଥିଲା। ଘଟଣାସ୍ଥଳରୁ ଦୁଇଟି AK-47 ରାଇଫଲ୍ ଏବଂ ବିପୁଳ ପରିମାଣର ଗୁଳିଗୋଳା ଜବତ କରାଯାଇଛି।
ଏୟାରଲିଫ୍ଟ ହେଲା ଟାଇସନ୍, ସ୍ବାସ୍ଥ୍ୟବସ୍ଥା ସ୍ଥିର
ଆହତ ଟାଇସନ୍କୁ ସେନା ପକ୍ଷରୁ ତୁରନ୍ତ ଏୟାରଲିଫ୍ଟ କରାଯାଇ ଚିକିତ୍ସା ପାଇଁ ପଠାଯାଇଛି। ବର୍ତ୍ତମାନ ତାର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି। ସେନା କହିଛି ଯେ, ଟାଇସନ୍ର ସାହସିକତା ପୁଣି ଥରେ ପ୍ରମାଣିତ କରିଛି ଯେ ଆତଙ୍କବାଦ ବିରୋଧୀ ଅଭିଯାନରେ ଏହି ତାଲିମପ୍ରାପ୍ତ କୁକୁରମାନଙ୍କ ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ।
ପୂର୍ବରୁ ସହିଦ ହୋଇଥିଲା ‘ଫାଣ୍ଟମ’
ସେନାରେ କାର୍ଯ୍ୟ କରୁଥିବା ଏହି ବୀର କୁକୁରମାନେ ସବୁବେଳେ ନିଜ ଜୀବନ ବଳିଦାନ ଦେବାକୁ ପ୍ରସ୍ତୁତ ଥାଆନ୍ତି। ଗତ ଅକ୍ଟୋବର ୨୦୨୪ରେ, ‘ଫାଣ୍ଟମ’ ନାମକ ଜଣେ ବେଲଜିୟମ ମାଲିନୋଇସ୍ କୁକୁର ଏହିଭଳି ଏକ ଅପରେସନରେ ଆତଙ୍କବାଦୀଙ୍କ ସହ ଲଢ଼ି ସହିଦ ହୋଇଥିଲା। ସେ ନିଜ ହ୍ୟାଣ୍ଡଲର ଏବଂ ସାଥୀ ସୈନିକଙ୍କୁ ବଞ୍ଚାଇବା ପାଇଁ ନିଜ ଜୀବନ ଦେଇଥିଲା।
ଅପରେସନ ତ୍ରାସି -୧ (Operation Trashi-I):
ଜାନୁଆରୀରୁ କିସ୍ତୱାରର ଚାତ୍ରୁ, ସୋନାର, ଡୋଲଗାମ୍ ଏବଂ ଡିଚାର ଭଳି ଘଞ୍ଚ ଜଙ୍ଗଲ ଘେରା ପାହାଡ଼ିଆ ଅଞ୍ଚଳରେ ସେନା ପକ୍ଷରୁ ‘ଅପରେସନ ଟ୍ରାସି-୧’ ଜାରି ରହିଛି। ରବିବାରଏହି ସଫଳତା ପରେ ସ୍ଥାନୀୟ ବାସିନ୍ଦାମାନେ ଆଶ୍ୱସ୍ତି ପ୍ରକାଶ କରିଛନ୍ତି।
Post Comment